Tuesday, November 28, 2017

ତୁମେ………

ତୁମେ………
*** 🌿💕🌿 ****
ତୁମେ  ଅସମ୍ପୂର୍ଣ୍ଣ ଏକ-ବିରହର ଇତିହାସ
ତୁମେ ନିଶି  ନିର୍ଜନେ -ରଜନୀଗନ୍ଧା ବାସ,
ତୁମେ ଶେଷ ଫଗୁଣର - କୋଇଲିର କୁହୁ ତାନ
ତୁମେ ନିଃସଙ୍ଗ ନାୟକ ସ୍ୱପ୍ନିଳ ଏକ ମନ ,
କୋଣାର୍କ ଗାତ୍ରରେ ନିର୍ଜୀଵ ଶିଳାରେ
ନର୍ତକୀର ବେଶ ତୁମ
କାବ୍ୟର ପୃଷ୍ଠାରେଶବ୍ଦାଙ୍ଗୀ କବିତା
ବିଦଗ୍ଧ କବିର ପ୍ରେମ ,
ବିରହୀ ମନର ମରୁଦ୍ୟାନେ  ତୁମେ
ବସନ୍ତର ଆବାହନୀ
ସୁସୁପ୍ତ ପ୍ରାଣେ ଚଳଚଞ୍ଚଳ
ଯୌବନର ଆଗମନୀ,
ତୁମେ ସତ୍ୟ -ତୁମେ ନିତ୍ୟ
ତୁମେ ଶକ୍ତି -ତୁମେ ଭକ୍ତି
ତୁମେ  ନିର୍ମୋହୀ ମନର ମୋହ ,
ଅବୋଧ ଶିଶୁର ମାତୃତ୍ଵ ପରଶ 
ପଣତରେ ଭରା ପଣତେ  ଆଶିଷ
ଅନାବିଳ ଝରା ସ୍ନେହ …….. ।।
ତପନ ଦୀକ୍ଷିତ(ବେଳାଭୂମି)

୨୧
.୧୧.୨୦୧୭
ନାଶିକେଶ୍ୱର, କାକଟପୁର, ପୁରୀ
https://www.facebook.com/belabhumi64

କଙ୍କାଳ କୋଠି ର ଲାଲ୍ ବାଦଶାହ୍

କଙ୍କାଳ କୋଠି ଲାଲ୍ ବାଦଶାହ୍
***************************
ଚୋରା ଚାହାଁଣୀରେ ଯେଉଁଦିନ ତୁମେ ନେଇଗଲ ଏଇ ହୃଦୟ ଲୁଟି 
ପଳ ପଳ କାଟି ସ୍ମୃତିକୁ ସାଥି ମୁଁ ଗଢ଼ିଛି କବିତା କଙ୍କାଳ କୋଠି ,
ପୋଷାଏ  ଲୁହରେ ଓଠକୁ ଭିଜାଇ   ସପନକୁ ଦେଇ ଅଶାର  ଭେଟି
ବାସର ରାତିର ଆସର  ବସାଇ ନିତି ରଚୁଥାଏ ଶୂନ୍ୟ ଚଉଠି ,
ଅନ୍ଧାର ଆଡେଇ ଖୋଜି ହେଉଥାଏ ତୁମେ ଦେଇ ଥିବା ପୁରୁଣା ଚିଠି
ଯେଉଁ ଚିଠି ତୁମେ କେବେବି  ଲେଖିନ ନିତି ପଢେ ତାକୁ ରାତିରେ ଉଠି,
କବିତା କଂକାଳେ ଅତସୀ କୁସୁମ ଝୁଲାଇ ଭୁଲାଇ  ନିଜକୁ ଏଠି

(ମୁଁ ) କଙ୍କାଳ କୋଠି ଲାଲ୍ ବାଦଶାହ୍ ନିତି ରଚୁଥାଏ ଶୂନ୍ୟ ଚଉଠି,
ଆଜିବି ସାଇତା  ସେଇଦିନୁ ତୁମ ସଜଳ ଆଖିର କଜଳ  ଚିଠି 

ଜହ୍ନ ବୁଡ଼ିଗଲେ  ନିତି ପଢିବସେ କିଛି ଲୁହ କିଛି ହସ କୁ ଫେଣ୍ଟି .... ।।
ତପନ ଦୀକ୍ଷିତ(ବେଳାଭୂମି) 
ନାଶିକେଶ୍ୱର, କାକଟପୁର, ପୁରୀ

ଜ୍ୟୋତ୍ସ୍ନା ଜୁଆରେ

ଜ୍ୟୋତ୍ସ୍ନା  ଜୁଆରେ ଦେଖିଛି  ମୁଁ ମୋର
ଶୈଶବର ଜହ୍ନରାତି
ଭିଜିଛି ହଜିଛି  ମଜିଛି କେତେ ମୁଁ
ଜୋଛନା ସାଥିରେ ମାତି,
ଲଞ୍ଜା ତାରାକୁ ପ୍ରାଣମିଛି କେତେ
ରାମ ରାମ ବୋଲି କହି
ରାଜକୁମାରୀର କାହାଣୀ ଶୁଣି ମୁଁ
ଶିହରିଛି ତୁମ ପାଇଁ,
ଆଉବି ଦେଖିଛି ଯୌବନକୁ ମୋର
ତନ୍ନ ତନ୍ନ ତୁମ ଦେହେ
ହେଲେ ଆଜି ଦୂରେ ପ୍ରବାସ  ଜୀବନ
କିଛି ହସ କିଛି ଲୁହେ .... ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

ନିୟତେ ନିୟମ ନୀତି ଭୁଲି ଆଜ…

ନିୟତେ ନିୟମ ନୀତି ଭୁଲି ଆଜ…
******************************
(୧)
ରମଣୀମଣି ହେ   ଘେନ  ଅରଜ 
ଦେଖି କରିଛି ତୋତେ ମନେ ହେଜ,
ସରୋଜ  ନୟନା ବୁଝି  ଗରଜ
ମାନ ତେଜି ଆସ  ନାଗରୀ ରାଜ,
ବେଦନା ହର ତୁ ଭିଡ଼ି ଉରଜ 
ମେଣ୍ଟାଇବ ଦାସ ନିଶ୍ଚେ କରଜ ,
ଚୀନାସୁଂକେ ତନୁ ବଲ୍ଲରୀ ସାଜ
ଘନକବରୀ ତୋ ଯେହ୍ନେ ବାରିଜ,
ପରଶମଣି  ନିଶ୍ଚେ ତୋ ଉରଜ
ନିୟତେ ନିୟମ ନୀତି ଭୁଲି ଆଜ,
ପ୍ରଣୟଆଶେ ହେଲି ଯା’ ନିୟୋଜ୍ୟ
ଜାଣେନାକିଙ୍କର’ ତୋର ପ୍ରଯୁଜ୍ୟ ?

(୨)
ପୁଣି.. ଭାବେ ସବୁ ଭାଗ୍ୟର ଖେଳ
ବାସ୍ତବ ଅବା   ଅଟେ କୁତୂହଳ ,
ଫସକା ପ୍ରୀତି ବୋଧେ ତୋର ଆଶ
ଫପସା ଅବା ସବୁ ଫରମାସ ,
ପୁଂସ ହୋଇ ନପୁଂସକ ଲାଗେ ଯାହା
ସରମେ  କାହାକୁ କହିବଇଁ ତାହା.... ।।
ତପନ ଦୀକ୍ଷିତ(ବେଳାଭୂମି) ୨୭ .୧୧.୨୦୧୭

ନାଶିକେଶ୍ୱର, କାକଟପୁର, ପୁରୀ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ

ଗରା ଗରା ଲୁହ ଘୁର୍ଣ୍ଣିର କୋହ ଗଣ୍ଠିଳିଏ ଦୁଃଖ ନେଇ କିଏ ଜାଣେ କେବେ କୋକେଇ ଉଠିବ ମହଣେ ଅନ୍ଧାର ଥାଇ , ଦେଖିବାକୁ ଦେ ତୋ ସପନ ଟିକେ ରାତି ଆସେ ସରି ସରି କହି ମୁଁ ପାରୁ...

ସେଇ ମୋର ଛୋଟ ଗାଁ … ପାହିଗଲେ ରାତି ଡାକ ଦିଏ ଯହିଁ ସ୍ନେହମୟୀ ମୋର ମା’ ବାପାରେ ଧନରେ ସହ